ଯାଜପୁର, 01/09/2026, ଉତ୍କଳ voice ( ଉମାକାନ୍ତ ବେହେରା ଙ୍କ ରିପୋର୍ଟ ) :

ତା - ୧/୦୯/୨୦୨୬ : ବଡ଼ଚଣା ବ୍ଲକ ଅନ୍ତର୍ଗତ ରଇପୁର ସାଧନକେନ୍ଦ୍ର ଅଧିନସ୍ଥ ପି. ମଧୁସୁଦନ ସଂସ୍କୃତ ବିଦ୍ୟାଳୟରେ ସଂସ୍କୃତ ସପ୍ତାହ ପାଳିତ ହୋଇଛି। ବିଦ୍ୟାଳୟ ତଥା ବିଦ୍ୟାଳୟ ବାହାରେ ସଂସ୍କୃତ ଭାଷାର ବ୍ୟାପକ ବ୍ୟବହାରକୁ ସୁନିଶ୍ଚିତ କରି ଭାରତୀୟ ସମୃଦ୍ଧ ଜ୍ଞାନ ପରମ୍ପରା ସହ ସମସ୍ତଙ୍କୁ ପରିଚିତ କରିବା ଏହାର ପ୍ରମୁଖ ଉଦ୍ଦେଶ୍ୟ। ସଂସ୍କୃତ ସପ୍ତାହ ପାଳନ ଅବସରରେ ପ୍ରାରମ୍ଭରେ ଏହି ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ବେଦ ପାଠ କରିଥିଲେ।ଏହି ଅବସରରେ ପ୍ରଧାନ ଶିକ୍ଷକ ପଣ୍ଡିତ ଭୁପେଶ କୁମାର ସେନାପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ରଇପୁର ସାଧନ କେନ୍ଦ୍ରର ସଂଯୋଜକ ତଥା ଶିକ୍ଷାବିତ୍ ହିମାଂଶୁ ଭୂଷଣ ଜେନା , ମୁଖ୍ୟ ବକ୍ତା ଭାବେ ରାଜ୍ୟ ସଂସ୍କୃତ ମହାମଣ୍ଡଳ ର ସମ୍ପାଦକ ତଥା ଅଷ୍ଟଶମ୍ଭୁ ସଂସ୍କୃତ ବିଦ୍ୟାଳୟ ର ଶିକ୍ଷକ ପଣ୍ଡିତ ଆର୍ତ୍ତତ୍ରାଣ ତ୍ରିପାଠୀ ଓ ସମ୍ମାନିତ ଅତିଥି ଭାବେ ବିଦଗ୍ଧ ବିହାର ସଂସ୍କୃତ ବିଦ୍ୟାଳୟ, ଅଭିମନ୍ୟୁ ବାଲିଆ ର ଶିକ୍ଷକ ପଣ୍ଡିତ ସୁରେଶ ଚନ୍ଦ୍ର ନାୟକ ଯୋଗ ଦେଇ ସମୃଦ୍ଧ ସଂସ୍କୃତ ଭାଷା ଓ ଶିକ୍ଷାକୁ ଆଦରର ସହ ଅଧ୍ୟୟନ ଓ ପ୍ରୟୋଗ କଲେ ଚରିତ୍ରବାନ୍ ଛାତ୍ର ଛାତ୍ରୀ ଗଢା ହେବା ସହ ଏକ ସଂସ୍କାରଧର୍ମୀ ସମାଜ ଗଠନ ସମ୍ଭବ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଛାତ୍ର ଛାତ୍ରୀମାନେ ସମବେତ ସ୍ଵରରେ "ବିତରତି ହର୍ଷମ୍ ଭାରତ ବର୍ଷମ୍ ଅସ୍ମାକମ୍ ଜନନୀ"ଦେଶାତ୍ମବୋଧ ସଙ୍ଗୀତ ଗାନ କରିଥିଲେ। ଶ୍ରୀମଦ୍ ଭଗବଦ୍ ଗୀତାର ଶ୍ଳୋକକୁ ଅତି ସୁନ୍ଦର ଭାବରେ କାଜଲ ଦଳାଇ, ପୂର୍ଣ୍ଣିମା ଦଳାଇ, ଅନ୍ନପୂର୍ଣ୍ଣା ଦଳାଇ, ବେବିନା ଦଳାଇ, ସଂଗ୍ରାମ ଦଳାଇ ଓ ଦେବାଶିଷ ଦଳାଇ ଆବୃତ୍ତି କରିଥିବାରୁ ରଇପୁର ସାଧନ କେନ୍ଦ୍ର ତରଫରୁ ଖାତା, ବହି ଓ ପେନ୍ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଅଂଶଗ୍ରହଣ କରିଥିବା ବିଦ୍ୟାଳୟର ସମସ୍ତ ଛାତ୍ର ଛାତ୍ରୀଙ୍କୁ ସାଧନ କେନ୍ଦ୍ର ତରଫରୁ ଖାତା ଓ ପେନ୍ ପ୍ରଦାନ କରଯାଇଥିଲା। ଏହି ଅବସରରେ ସମର୍ପିତ ଓ ସ୍ବେଛାକୃତ ଶିକ୍ଷାଦାନ ପାଇଁ ଝୁମୁରୀ ଦଳାଇ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ପାଥପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀଣ କୁମାର ପରିଡ଼ା ଉପସ୍ଥିତ ରହି ସହଯୋଗ କରିଥିଲେ।ଅବସରପ୍ରାପ୍ତ ଶିକ୍ଷକ ଖଗେଶ୍ବର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।