ଜଗତସିଂହପୁର, 31/08/2026, ଉତ୍କଳ voice( ଜଗତସିଂହପୁର ରୁ ରୀତା ସାହୁ ) :

ତା.31.08. 2026 ଜଗତସିଂହପୁର ବ୍ଲକ ଅନ୍ତର୍ଗତ ଓଡିଶାଗଡ଼ସ୍ଥିତ ପ୍ରଫୁଲ ପାଠାଗାରରେ ସୁନାମ ଧନ୍ୟ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ଏକାଦଶାହ ଦିବସରେ ଶିକ୍ଷାବିତ ରବିନ୍ଦ୍ରନାଥ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି I ଏହି ସଭାରେ ବରିଷ୍ଠ ରାଜନୀତି ବିଜ୍ଞାନ ଅଧ୍ୟାପକ ଲଷ୍ମୀଧର ପ୍ରଧାନ, ଉତ୍କଳ ସମ୍ମିଳନୀ ଜଗତସିଂହପୁର ଜିଲ୍ଲା ଶାଖା ସଭାପତି ତଥା ବରିଷ୍ଠ ଆଇନଜୀବି ଶିବ ପ୍ରସାଦ ମାଝୀ, ଶିକ୍ଷାବିତ ବିଜୟ କୁମାର ପତି, ସତ୍ୟବାଦୀ ଦାସ, ଦେବେନ୍ଦ୍ର ଆଚାର୍ଯ୍ୟ ସଞ୍ଜୟ ସାମନ୍ତ ସିଂହାର,ପ୍ରତାପ କୁମାର ରାଉତରାୟ ପ୍ରମୁଖ ଯୋଗଦାନ କରି ସ୍ବର୍ଗତ ପ୍ରଣବ କିଶୋର ପଟ୍ଟନାୟକ ଏକାଧାରରେ ଜଣେ ସୁନାମ ଧନ୍ୟ କଣ୍ଠ ଶିଳ୍ପୀ,ପ୍ରଚ୍ଛଦପଟ ଗାୟକ, ଓଡ଼ିଆ ସଙ୍ଗୀତର ବାଦଶାହ, ସ୍ୱରର ଯାଦୁଗର ଥିଲେ ବୋଲି କହିଥିଲେ I ଭୁବନେଶ୍ୱର ମିଶ୍ରଙ୍କ ସଙ୍ଗୀତ ନିର୍ଦେଶନାରେ ପ୍ରଥମ ଚଳଚିତ୍ର ମା ରେ ସେ ପ୍ରଥମେ ଗାଇବାର ସୁଯୋଗ ପାଇଥିଲେ I ଶ୍ରୀଲୋକନାଥ, ସୂର୍ଯ୍ୟମୁଖୀ, ଶେଷ ଶ୍ରାବଣ,ସିନ୍ଦୁର ବିନ୍ଦୁ, ଚି଼ହ୍ନI ଅଚିହ୍ନI, ବତୀଘର ଆଦି ଚଳଚିତ୍ର ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚାଇ ପାରିଥିଲା I ସେ ବେତାର, ଦୂରଦର୍ଶନ ଓ ଆଲବମରେ, ବହୁ ଭଜନ ଓ ଆଧୁନିକ ଗୀତ ଶ୍ରୋତା ମାନଙ୍କୁ ଭେଟି ଦେଇଛନ୍ତି I ଏଥି ସହିତ ଜାତୀୟ ସ୍ତରର ଗୀତିକାର ଓ କଣ୍ଠଶିଳ୍ପୀଙ୍କ ସହିତ କାର୍ଯ୍ୟ କରି ସୁଖ୍ୟାତି ଅର୍ଜନ କରିଥିଲେ I ତାଙ୍କର ଅତି ଲୋକ ପ୍ରିୟ ଗୀତ ରେ ଆତ୍ମନ, ମାଝିରେ ମାଝୀରେ,ଏଇ ଜୀବନ ଏକ ନାଟକ, ମା ତୁମେ ଜଗତର ସାହା ଭରସା ଆଦି ତାଙ୍କୁ ଚିର ଦିନ ଅମର କରି ରଖିବ ଏବଂ ତାଙ୍କର ବିୟୋଗରେ ଓଡ଼ିଶା ସଙ୍ଗୀତ ଜଗତର ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଥିଲେ I ଶେଷରେ ପାଠାଗାରର ସମ୍ପାଦକ ସୁରେନ୍ଦ୍ର କୁମାର ରାୟ ଧନ୍ୟବାଦ ଅର୍ପଣ କରିଥିଲେ I